Availability: In Stock
Sunya Pharda
₹250.00
ସାହିତ୍ୟପ୍ରାଣ ମଣିଷ ହୁଏତ ସମ୍ପୂର୍ଣ୍ଣ ଖାଲି ହେବାର ବେଶ୍ କିଛି ସମୟ ପୂର୍ବରୁ ବୁଝିପାରେ ଅଦୃଷ୍ଟ ନିୟନ୍ତାଙ୍କର ଏଇ ବିଚିତ୍ର ଖେଳ। ତେଣୁ ଧୈର୍ଯ୍ୟ ରଖିବା ଜାଣେ। ନିଜକୁ ଖାଲି କରି ପୂର୍ଣ୍ଣ କରିବାରେ କେତେ ଯେ ସୁଖ ଜାଣେ ବୋଲି ସେ ଗଳ୍ପଟିଏ ଲେଖିବାର କ୍ରମକୁ ଭୋଗେ, ଜୀବନକୁ ଭୋଗେ।
ଏଇଭଳି ମୋତେ ଦୁଃଖରେ ଭିଜାଇଥିବା ଓ ସୁଖରେ ପରିପୂର୍ଣ୍ଣ କରିଥିବା ଏଇ ଗଳ୍ପଗୁଡ଼ିକରେ ହିଁ ମୁଁ ଢାଳିଦେଇଛି ମୋର ସେଇ ସବୁ ପରିପୂର୍ଣ୍ଣ ମୁହୂର୍ତ୍ତସବୁକୁ। ବୟସର ପରିପକ୍ୱତା କେତେବେଳେ ମୋ କଲମମୁନରେ ବାଢ଼ିଦେଇଛି ଅବିକଳ ସମାଜର ପ୍ରତିଛବିଟିଏ ତ କେତେବେଳେ ପିଲାଳିଆମି ଓ ସହଜପଣ ଆକ୍ରାନ୍ତ କରିଛି ମୋତେ। ମୁଁ ମୋ ଭିତରର ଲୁଚିରହିଥିବା ଚପଳ କିଶୋରୀ ବୟସକୁ ଫେରିଛି। ଏ ଗଳ୍ପସବୁ ସମୟ ସହିତ ମୁଁ ଭୋଗିଥିବା, ଦେଖିଥିବା ଚିତ୍ର ଓ ଚରିତ୍ରମାନଙ୍କର ପ୍ରତିଛବି ହିଁ କେବଳ, ଯାହାଙ୍କୁ ମୁଁ ଦେଖିଛି ମୋ ସୂକ୍ଷ୍ମ ଦୃଷ୍ଟିକୋଣରେ। ତଉଲିଛି ମୋର ସୂକ୍ଷ୍ମ ଚେତନାଶକ୍ତିରେ ଓ ଆଙ୍କିଛି ମୋର କଳ୍ପନା ପ୍ରବଣତାରେ। ସେମାନେ ମୋ କଲମ ମୁନରୁ ଉତୁରି ଆସି ମୋତେ ଶୂନ୍ୟ କରିଛନ୍ତି ତ ପର ମୁହୂର୍ତ୍ତରେ ନିଜ ଭଲପାଇବା ଦେଇ ପରିପୂର୍ଣ୍ଣ ମଧ୍ୟ କରିଛନ୍ତି। ମୁଁ କୃତଜ୍ଞ ସେମାନଙ୍କ ନିକଟରେ।
ଯଦି ଏ ଗଳ୍ପଗୁଡ଼ିକ ପଢ଼ି ଆଜିକାର ହାଇ ସ୍ପିଡ୍ ଜୀବନଦୌଡ଼ରେ ଥକିପଡୁଥିବା ମଣିଷ, ଜୀବନରେ ଥରଟିଏ ହାରିବା ଦୁଃଖରେ ଭାଙ୍ଗିପଡ଼ି ସରିଯାଉଥିବା ମଣିଷ, ଏକ୍ଲାପଣରେ ଭାଙ୍ଗିପଡୁଥିବା ମଣିଷ – ଜୀବନକୁ ପ୍ରାଣଭରି ଭଲପାଇବା ଶିଖେ, ଶୂନ୍ୟତାକୁ ପ୍ରାଣଭରି ଉପଭୋଗ କରିବାକୁ ଶିଖେ, ହାରିବା ଓ ହାରିଯାଇ ଶିଖିବା ସତ୍ୟତାକୁ ବୁଝିପାରେ, ତେବେ ମୋ ଲେଖନୀକୁ ମୁଁ ଈଶ୍ୱରଙ୍କ ଆଶୀର୍ବାଦ ବୋଲି ଭାବିବି।
ଅପରିମିତ ଭଲପାଇବା ଓ ଶ୍ରଦ୍ଧାର ସହ ମୁଁ ମୋର ଏଇ ତୃତୀୟ ଗଳ୍ପ ସଂକଳନ ‘ଶୂନ୍ୟଫର୍ଦ୍ଦ’କୁ ସମର୍ପିଲି ସେଇ ପ୍ରିୟ ପାଠକପାଠିକାଙ୍କ ହାତରେ…।
– ପୁଷ୍ପାରାଣୀ ପଟେଲ