Availability: In Stock
Badhi
₹170.00
ନରାଜ ଡେଇଁଲେ ମହାନଦୀ ଯେମିତି ଖିଆଲୀ, ତା’ର ନେଟ୍]ୱାର୍କ ବି ସେମିତି ବିଚିତ୍ର । କେନ୍ଦ୍ରାପଡ଼ା ଜିଲ୍ଲାର ଦାନପୁର ପାଖରୁ ମହାନଦୀର ଏକ ପ୍ରଶାଖା ଲୁଣାନଈରୁ କରାଣ୍ଡିଆ ବାହାରି କଳପଡ଼ା ପାଖରେ ପୁଣି ମିଶିଯାଇଛି । ମଝିରେ ତେରଖଣ୍ଡ ଧୋଇୟା ଗାଁର ସବୁଜ ମାନଚିତ୍ର । ତାଆରି ଭିତରୁ ସବା ତଳମୁଣ୍ଡ ଗାଁରେ ହେତୁ ପାଇଲା ଦିନୁ ମୁଁ ପ୍ରତିବର୍ଷ ଦେଖିଛି ବନ୍ୟାର ଭୀମକାନ୍ତ ରୂପ ।
ହଁ; ଭୀମକାନ୍ତ ହିଁ । ଅଜସ୍ର ଫେଣ ଚବକେଇ, ଭଉଁରୀ କାଟି ବନ୍ୟା ଯେତେବେଳେ ଆସେ, ଆସେ ସ୍ପର୍ଦ୍ଧିତ ଆବେଗରେ । ମୋତେ ଲାଗେ, ଜଙ୍ଗଲର ରାଜାଧିରାଜ ପାରିଧିରେ ବିଜେ କରୁଛି । ମୁଁ ମୁଗ୍ଧ ଦୃଷ୍ଟିରେ ତାକୁ ଚାହିଁ ରୁହେ । ପୁଣି ଅଜସ୍ର ଜଞ୍ଜାଳ ପଛରେ ପକେଇ ବନ୍ୟା ଯେତେବେଳେ ଛାଡ଼ି ଯାଏ ନଈର ଝାଉଁଳା ମୁହଁ ଦିଶେ ମଲାଜହ୍ନ ପରି ପାଂଶୁଳ ।
ଗତବର୍ଷର ମହାପ୍ଳାବନ ଛତିଶଗଡ଼ରେ ବସି ଟି.ଭି.ରେ ଦେଖିଲା ବେଳେ, ମୋତେ ଲାଗୁଥିଲା, ମୁଁ ଠିଆ ହୋଇଛି କରାଣ୍ଡିଆ ନଈ ଅତଡ଼ା ଦାଢ଼ରେ । ମୋ’ ଆଗରେ କରାଣ୍ଡିଆର ଅତଳସ୍ପର୍ଶୀ ନୀଳ ଡଅଁର । ପୀତାମ୍ବର ବାବୁ ଏଥର ଉପନ୍ୟାସ ପାଇଁ ଅନୁରୋଧ କଲାବେଳେ ସେହି ଡଅଁର ବୋଧେ ମୋତେ ବାଧ୍ୟ କରି ଟାଣି ନେଇଛି ‘ବଢ଼ି’ ଆଡ଼େ । ନହେଲେ ପ୍ରକୃତ ଯୋଜନା ଥିଲା ଅନ୍ୟ ଉପନ୍ୟାସ ପାଇଁ । ଆଉଥରେ ବି ଲେଖିଥିଲି, ବାଘେଇ ଘାଟ କଥା, ବାଲିଘାଇ ଗାଁ କଥା । ବହୁ କୌତୂହଳୀ ପାଠକ ସେତେବେଳେ ପଚାରିଥିଲେ, ବାଘେଇ କେଉଁଠି, କେଉଁଠି ବାଲିଘାଇ?
କଟକ ତଳହଟୀ ସବୁ ଘାଟ ତ ମୋତେ ଦିଶନ୍ତି ବାଘେଇ ଘାଟ ପରି । ସବୁ ଗାଁ ଲାଗନ୍ତି ବାଲିଘାଇ….ବାଲିଘାଇ….ମୁଁ ଏବେ କରିବି କଅଣ! ଇଏ ସେଇ ଧୋଇୟା ଗାଁର ଗପ ।